Author bio image

ବନମାଳା ପଟ୍ଟନାୟକ

ଠିକଣା - ଟାଙ୍ଗୀ, ଖୋରଧା, ଓଡିଶା


ବଣମଲ୍ଲୀଟିଏ ବଣରେ ଫୁଟି ଝରିପଡେ । ତା'ର ବାସ୍ନା କେହି ଜାଣି ପାରନ୍ତି ନାହିଁ । ଆମ ସମାଜରେ ଏମିତି ଅନେକ ବଣମଲ୍ଲୀ ସଦୃଶ ପ୍ରତିଭା ବିକଶିତ ହେବା ପୂର୍ବରୁ ଝଡି ଯାଆନ୍ତି ଅକାଳରେ । ସେମିତି ଜଣେ ପ୍ରତିଭା ବନମାଳା ପଟ୍ଟନାୟକ । ୧୯୬୯ ମସିହାରେ ପୁରୀର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ କୃତିତ୍ଵର ସହ ଓଡିଆ ସମ୍ମାନରେ ସ୍ନାତକ ଶିକ୍ଷା ଶେଷକରି ବିବାହ ବନ୍ଧନରେ ବାନ୍ଧି ହୋଇଯାଆନ୍ତି । ପାଠପଢିବା ସମୟରେ ତତକାଳୀନ ଓଡିଆ ସାହିତ୍ୟ ପତ୍ରିକା "ସୌରଭ" ରେ ନିୟମିତ ଲେଖାଲେଖି କରୁଥିଲେ । ସେ ସମୟରେ ତାଙ୍କ ରଚିତ "ନୀଲ ଆର୍ମଷ୍ଟ୍ରଙ୍ଗଙ୍କ ଚନ୍ଦ୍ରପୃଷ୍ଠ ଅଭିଯାନ" ଶୀର୍ଷକ ପ୍ରବନ୍ଧ ବେଶ ପାଠକୀୟ ଆଦୃତି ଲାଭକରି ଉଚ୍ଚ ପ୍ରଶଂସିତ ହେବା ସହ, ଏଥିପାଇଁ ଦୀର୍ଘ ୪୦ ବର୍ଷ ତଳେ ସେ ପୁରସ୍କୃତ ହୋଇପାରିଥିଲେ । ଏହି ପ୍ରବନ୍ଧଟି ତାଙ୍କ ସାରସ୍ଵତ ପ୍ରତିଭାର ସ୍ଵତନ୍ତ୍ରତାକୁ ପରିସ୍ଫୁଟନ କରିବାରେ ବେଶ ସହାୟକ ହୋଇପାରିଥିଲା । ଗୋଟିଏ ଆଭିଜାତ୍ୟ ଜମିଦାର ପରିବାରର ଝିଅ ଭାବେ ତତ୍କାଳୀନ ସାମାଜିକ ଉପେକ୍ଷାର ଶିକାର ହୋଇ ଅନେକ ଉଚ୍ଚ ପଦବୀ ପୂର୍ଣ୍ଣ ସରକାରୀ ଚାକିରୀକୁ ତାଙ୍କୁ ହାତଛଡା କରିବାକୁ ପଡିଥିଲା । ବିବାହ ବନ୍ଧନରେ ଆବଦ୍ଧ ହେବାପରେ ମଧ୍ୟ ନିଜ ସୃଜନୀର ପଥରୋଦ୍ଧ କରିବାକୁ ସେ ଚାହିଁନଥିଲେ । ସ୍ଵଭାବ ବଶତଃ ଫାଉଣ୍ଟେନ କଲମର କାଳିରେ ସୃଷ୍ଟି କରିଚାଲିଥିଲେ ଅନେକ କବିତାର ସୃଷ୍ଟି ସଂଭାର । ଦୀର୍ଘ ୪୦ ବର୍ଷର ବ୍ୟବଧାନ ପରେ କିସ ମାନିତ ବିଶ୍ଵବିଦ୍ୟାଳୟରେ ଅଧ୍ୟାପନା କରୁଥିବା ଅଲିଅଳି କନ୍ୟା ଅଧ୍ୟାପିକା ଦେବାହୁତୀ ପଟ୍ଟନାୟକଙ୍କ ଉଦ୍ୟମରେ ସେଇ ସାଉଁଟାଫୁଲର ବାସ୍ନାକୁ ବିତରଣ କରିବା ନିମନ୍ତେ ସେଇ ପୁରାତନ ଅସଜଡା ପାଣ୍ଡୁଲିପିରୁ କିଛି କବିତାକୁ ସଂଗ୍ରହ କରି "ସାଉଁଟା ଫୁଲ" ନାମରେ କବିତା ସଂକଳନଟିଏ ପ୍ରକାଶିତ କରାଇଥିଲେ । ଅଦ୍ୟାବଧି ତାଙ୍କର ଅନେକ ସୃଷ୍ଟି ଅପ୍ରକାଶିତ ଓ ଅନାଲୋଚିତ, ଯାହାକୁ ବଣମଲ୍ଲୀର ମହକ ମାଧ୍ୟମରେ ଲୋକଲୋଚନକୁ ଆଣିବାର ପ୍ରୟାସ ମାତ୍ର ଜାରି ରହିଛି ।




(full-width)