ରଜପର୍ବ : ସୁସ୍ଥ ସାମାଜିକ ସହାବସ୍ଥାନର ଖୋରାକ

ବାରମାସେ ତେରପର୍ବ ଆମ ଓଡିଶାର ବିଶେଷତ୍ଵ । ଠିକ ସେହିଭଳି ରଜ ହେଉଛି ଓଡିଶାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ । କୁଆଁରୀ ଝିଅ ମାନେ ପ୍ରସାଧନ ପରିପାଟ୍ଟୀ ସହିତ ନୂଆ ପୋଷାକ ପିନ୍ଧନ୍ତି, ଗଛ ଡାଳରେ ଦୋଳି ଖେଳନ୍ତି, ତାସ ଖେଳନ୍ତି ଏପରିକ ଅନେକ ମଉଜ କରନ୍ତି । ଚାରିଦିନ ଧରି ସମଗ୍ର ଓଡିଶାର ପୁର ପଲ୍ଲୀରେ ଏହି ଉତ୍ସବ ପାଳନ କରାଯାଇଥାଏ । ଏହି ପର୍ବର ପ୍ରଥମ ଦିନକୁ ପହିଲି ରଜ କୁହାଯାଏ । ଦ୍ଵିତୀୟ ରଜ ଦିନ ମିଥୁନ ସଙ୍କ୍ରାନ୍ତି ପଡିଥାଏ ଏବଂ ନୂତନ ମାସ ଆରମ୍ଭ ହେବା ସହିତ ଧରାବକ୍ଷକୁ ବର୍ଷାଋତୁର ଆଗମନ ହୁଏ ।

ବିଶ୍ଵାସ କରାଯାଏ ବସୁମତୀ ବା ପୃଥିବୀ ମାତା ଏହି ସମୟରେ ରଜସ୍ଫଳା ହୋଇଥାନ୍ତି । ସେଥିପାଇଁ ଚତୁର୍ଥ ରଜ ଦିନ ବସୁମତୀ ସ୍ନାନ କରାଯାଇଥାଏ । ସେଥିପାଇଁ ଏହି ଚାରିଦିନ ଧରି କୌଣସି କୃଷିକର୍ମ ଓ ଭୂମି ଖନନ କାର୍ଯ୍ୟ କରାଯାଏ ନାହିଁ । ମହିଳା ଓ ଝିଅମାନେ ଏହି ରଜ ଚାରିଦିନ ଘରକାମରୁ ବିରତି ନେଇଥାନ୍ତି । ଭୂମିରେ ସିଧାସଳଖ ନଚାଲି, କଦଳୀ ପଟୁକା ପାଦରେ ବାନ୍ଧି ଚାଲନ୍ତି ଏବଂ ଦୋଳିରେ ଝୁଲୁଥାନ୍ତି । ଏହି ପ୍ରଥା ଓ ରୀତି ନୀତିକୁ କେହି ମାନନ୍ତୁ ବା ନମାନନ୍ତୁ, କିନ୍ତୁ ଏହା ପଛରେ ଜଡିତ ଥିବା ପ୍ରେମ ଓ ଆତ୍ମୀୟତାର ଗଭୀର ଆବେଗ, ଏକ ସୁସ୍ଥ ସାମାଜିକ ସହାବସ୍ଥାନ ପାଇଁ ସ୍ଵତନ୍ତ୍ର ଖୋରାକ ଯୋଗାଇଥାଏ । ଓଡିଶାର ଗ୍ରାମାଞ୍ଚଳରେ ଏହି ପର୍ବ ପାଳନର ଅନୁଭବ ଖୁବ ନିଆରା । ଏହା ଓଡିଶାର ଏକ ଗଣପର୍ବ ଓ ଭାଇଚାରାର ପର୍ବ ଅଟେ ।
© ଲକ୍ଷ୍ମୀନାରାୟଣ