ବିଶୃଙ୍ଖଳିତ ସାମାଜିକ ସ୍ଥିତିରେ ସାହିତ୍ୟିକର ଅଙ୍ଗୀକାରବଦ୍ଧତା

ସୃଷ୍ଟିର ଶ୍ରେଷ୍ଠ ପ୍ରାଣୀ ମନୁଷ୍ୟ କାରଣ ସେ ହିଁ ଏକମାତ୍ର ଜୀବ କେବଳ ଚିନ୍ତା ଚେତନାର ଅଧିକାରୀ । କ୍ଷଣ ଭଙ୍ଗୁର ଜୀବନର ସୀମିତ ପରିଧି ମଧ୍ୟରେ ତା ଉପରେ ଥାଏ ଅନେକ ଦାୟିତ୍ଵର ବୋଝ । ଏନ୍ତୁଡିଶାଳରୁ ମଶାଣିର ଭୁଇଁ ପର୍ଯ୍ୟନ୍ତ ମାତ୍ର କିଛି ଘଣ୍ଟାର ରାସ୍ତା ଦେଇ ତାକୁ ଚିର ବିଦାୟ ନେବାକୁ ପଡିଥାଏ ଦୂର ଦିଗବଳୟର ଆରପାରିକୁ, ଯେଉଁଠାରୁ ଆଉ କେହି କେବେ ଫେରି ଆସିପାରେନା । ଏହାହିଁ ଜୀବନର ଗତିପଥ । ଆଉ ପ୍ରତ୍ୟେକ ଜୀବନର ଅବଶ୍ୟମ୍ଭାବୀ ସତ୍ୟ । ଯାହାକୁ ଆମେ କଦାପି ଏଡେଇ ପାରିବା ନାହିଁ । ତେବେ ଆସନ୍ତୁ ଜୀବନ ଦର୍ଶନର ଏହି ନିବିଡ ଅନୁଶୀଳନକୁ ଏଇଠି ରଖି ଆମେ ଏକ ନିର୍ଦ୍ଧିଷ୍ଟ ଆଲୋଚନାକୁ ଭିତରକୁ ଯିବା, ଯାହାକି ମନୁଷ୍ୟର ସାମାଜିକ ଜୀବନଚର୍ଯ୍ୟାର ଏକ ଆବଶ୍ୟକୀୟ ଦାୟିତ୍ଵବୋଧ ।

ସଂଯମତା ହିଁ ମନୁଷ୍ୟର ସାମାଜିକ ଆବଶ୍ୟକତା । ଚେତନାର ଅଭିବୃଦ୍ଧିରେ ସଂଯମତାର ଆଚ୍ଚରଣ ଆପେ ଆପେ ସୃଷ୍ଟି ହୁଏ । ଯାହାକି ସମାଜକୁ ବ୍ୟବସ୍ଥିତ କରିବା ଦିଗରେ ସହାୟକ ହୋଇଥାଏ । ମନୁଷ୍ୟର ନକରାତ୍ମକ ଗତିବିଧି, ଅବଚେତନ ମନ ତଳର ଅସଂଯତ ଇଙ୍ଗିତ ବେଳେ ବେଳେ ମଣିଷର ସଚେତନ ସ୍ତରକୁ କାବୁ କରି ନେଇ ତା’ର ଦୈନଦିନ ଜୀବନଚର୍ଯ୍ୟାକୁ କୁପଥଗାମୀ କରାଇଥାଏ । ହୁଏତ ଅଶିକ୍ଷା, କୁସଂସ୍କାର ମନୋଭାବ, ସତସଙ୍ଗର ଅଭାବ, ଆଧ୍ୟାତ୍ମିକ ତତ୍ଵ ଓ ବିଚାରଧାରାଠାରୁ ଦୂରରେ ରହିବା ଦ୍ଵାରା ଏହି ସାମାଜିକ ସ୍ଖଳନ ସୃଷ୍ଟି ହୋଇଥାଏ । ଏହି ବିଶୃଙ୍ଖଳିତ ବାତାବରଣକୁ ସଜାଡିବା ନିମନ୍ତେ ଆମ କଳା, ସାହିତ୍ୟ ଓ ସଂସ୍କୃତିର ମୂଲ୍ୟବୋଧକୁ ଏଡେଇ ଦିଆଯାଇ ନପାରେ । ଭାରତୀୟ ସଂସ୍କୃତିର ମହାନତା ଯୁଗେ ଯୁଗେ ପୃଥିବୀର କୋଣ ଅନୁକୋଣରେ ପ୍ରଶଂସନୀୟ ।

ଆଧ୍ୟାତ୍ମିକ ଚେତନା, ଶୃଙ୍ଖଳିତ ଓ ବ୍ୟବସ୍ଥିତ ଜୀବନଶୈଳୀ ତଥା ସାମାଜିକ ବିଚାରଧାରା ନିମନ୍ତେ ଆମ ଭାରତୀୟ ସାହିତ୍ୟ ଯଥେଷ୍ଟ ଭାବରେ ମାର୍ଗ ଦର୍ଶନ କରାଇଥାଏ । ସାମାଜିକ ହିତ ଦୃଷ୍ଟିରୁ ସାହିତ୍ୟର ଭୂମିକା ଯେ କେତେ ଗୁରୁତ୍ଵପୂର୍ଣ୍ଣ ଏହା ଆମେ ସମସ୍ତେ ଜାଣିଛେ । ସୁସ୍ଥ ସାହିତ୍ୟ ସର୍ବଦା ସୁସ୍ଥ ସମାଜ ଗଠନ ଦିଗରେ ସହାୟକ ହୋଇଥାଏ । ତେଣୁ ଜଣେ ସାହିତ୍ୟିକର ଅଙ୍ଗୀକାରବଦ୍ଧତା ହିଁ ସୁ-ସାହିତ୍ୟ ସୃଷ୍ଟି ଦିଗରେ ତାକୁ ଦିଗଦର୍ଶନ ଦେଇଥାଏ । ଜଣେ ସାହିତ୍ୟିକ ସର୍ବଦା ସଙ୍କିର୍ଣ୍ଣତାଠାରୁ ଉର୍ଦ୍ଧରେ ରହି ମାନବବାଦ ତଥା ଆଧ୍ୟାତ୍ମିକତାର ଅନୁଶୀଳନରେ ନିଜ ସୂକ୍ଷ୍ମ ଅନୁଭୂତିର ସଫଳ ରୂପାୟନ ଦିଗରେ ଯତ୍ନଶୀଳ ହେଲେ ସୁ-ସାହିତ୍ୟ ସୃଷ୍ଟି ସମ୍ଭବ । ଯେଉଁ ସାହିତ୍ୟ ଯେତିକି ସରଳ, ବୋଧଗମ୍ୟ ଏବଂ ମାନବବାଦର ସ୍ଵରରେ ପରିପୂର୍ଣ୍ଣ ସେହି ସାହିତ୍ୟ ସେତିକି ଆଦରଣୀୟ ।

ସାହିତ୍ୟ ସର୍ବଦା ସମାଜର ଗତାନୁଗତିକ ଧାରା ଭିତରେ ନିଜର କାୟା ବିସ୍ତାର କରିଥାଏ । ସମାଜକୁ ସୁମାର୍ଗ ଦର୍ଶନ ତଥା ସାମାଜିକ ଅଧୋପତ୍ତନକୁ ରୋକିବାରେ ଏହାର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ତେଣୁ ଜଣେ ସାହିତ୍ୟିକର ସଂଯମତା ଓ ଅଙ୍ଗୀକାରବଦ୍ଧତା ଅତ୍ୟନ୍ତ ଜରୁରୀ । ସାହିତ୍ୟିକର ସୁସ୍ଥ ମାନସିକତା ଓ ନୀତି ଆଦର୍ଶ ଯେ ସମାଜକୁ ଶୃଙ୍ଖଳିତ କରିବା ନିମନ୍ତେ ନିଶ୍ଚୟ ଜରୁରୀ ଏହାକୁ ଆମେ ଅସ୍ଵୀକାର କରିପାରିବା ନାହିଁ । ନଚେତ ସମାଜ ବିଶୃଙ୍ଖଳିତ ହୋଇଯିବ ।
© ଲକ୍ଷ୍ମୀନାରାୟଣ