ପରିବର୍ତ୍ତନର ଧାରାରେ ସମନ୍ଵୟର ଆବଶ୍ୟକତା

ଆଜି ଯାହାକୁ ବୟସ ୩୦ ବର୍ଷ ମଧ୍ୟରେ ସେମାନେ ଡିଜିଟାଲ ପଦ୍ଧତ୍ତିରେ ପଢିବାକୁ ଲେଖିବାକୁ ଅଧିକ ପସନ୍ଦ କରୁଛନ୍ତି । ଆଜି ଯାହାକୁ ବୟସ ୬୦ ରୁ ଉର୍ଦ୍ଧ ସେମାନେ ମୁଦ୍ରିତ ଓ କାଗଜ କଲମରେ ଲିଖିତ ପଦ୍ଧତ୍ତିକୁ ଅଧିକ ପସନ୍ଦ କରିଥାନ୍ତି । ତେବେ ଏହି ପରିବର୍ତ୍ତନର ଧାରାକୁ ଅନୁଶୀଳନ କରି ଆମେ ଯଦି ଆସନ୍ତା ୩୦ ବର୍ଷ ପରକୁ ଯିବା, ସେତେବେଳକୁ ଏକ ଅଦ୍ଭୁତପୂର୍ବ ପରିବର୍ତ୍ତନ ଘଟି ସାରିଥିବ । କାରଣ ଆଜି ଯାହାକୁ ୩୦ ବର୍ଷ ତାକୁ ଆସନ୍ତା ୩୦ ବର୍ଷ ବେଳକୁ ୬୦ ବର୍ଷ ହୋଇଥିବ । ଏବଂ ଯାହାକୁ ଆଜି ୬୦ ବର୍ଷ ତାକୁ ସେତେବେଳକୁ ୯୦ ବର୍ଷ ହୋଇଥିବ ଅଥବା ଇହଧାମରୁ ସେ ବିଦାୟ ନେଇ ସାରିଥିବ । ଆଉ ସଂପୂର୍ଣ୍ଣ ରୂପେ ଏକ ନିରଙ୍କୁଶ ଡିଜିଟାଲ ଯୁଗ ସୃଷ୍ଟି ହୋଇସାରିଥିବ ।

ଏହା ଉପସ୍ଥାପନା କରିବାର ଅର୍ଥ ଏହା ଯେ, ଉଭୟ ପଦ୍ଧତ୍ତିରେ ଜଡିତ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ଗୁଡିକ ମଧ୍ୟରେ ଗୋଟେ ଶୀତଳଯୁଦ୍ଧ ସୃଷ୍ଟି ହୋଇ ସାରିଛି ଏହାକୁ ଆମେ ଅସ୍ଵୀକାର କରି ପାରିବାନି । ଏହା ସାହିତ୍ୟ କ୍ଷେତ୍ରରେ ଶୁଭଂକର ମନେ ହେଉନାହିଁ । ସମୟ କ୍ରମେ ଦୁଇଗୋଟି ଗୋଷ୍ଠୀର ଆବିର୍ଭାବ ହୋଇସାରିଛି । ଗୋଟିଏ ଇ-ସାହିତ୍ୟ ଗୋଷ୍ଠୀ ଏବଂ ଅନ୍ୟଟି ମୁଦ୍ରିତ ସାହିତ୍ୟ ଗୋଷ୍ଠୀ । ପରସ୍ପର ମଧ୍ୟରେ ହିନମନ୍ୟତାର ବାତାବରଣ ଓ ଆରୋପ ପ୍ରତ୍ୟାରୋପ ନିତିଦିନ ଚାଲିଛି । ଆଉ ଟିକେ ଭିତରକୁ ଯାଇ ଏହି ସମସ୍ୟାର ପୁଙ୍ଖାନୁପୁଙ୍ଖ ଅନୁଶୀଳନ କଲେ ଜଣାପଡେ, ଏହି ଈର୍ଷା ପରାୟଣତା ମୋଟାମୋଟି ଯୁବଗୋଷ୍ଠୀ ଓ ବୟସ୍କ ଗୋଷ୍ଠୀ ମାନଙ୍କ ମଧ୍ୟରେ ଗତିଶୀଳ ।

ଏହି ସମସ୍ୟାକୁ ନେଇ ଆମ ସମସ୍ତଙ୍କୁ ଆଜି ଏକ ସିଦ୍ଧାନ୍ତରେ ପହଞ୍ଚିବାର ଜରୁରୀ ଆବଶ୍ୟକତା ରହିଛି । ଉଭୟ ପଦ୍ଧତ୍ତିରେ ଆମକୁ ବିଶ୍ଵାସ ଓ ସମନ୍ଵୟ ସ୍ଥାପନ କରିବା ଆଜିର ଘଡିସନ୍ଧି ମୁହୂର୍ତ୍ତରେ ସଂପୂର୍ଣ୍ଣ ଜରୁରୀ ହୋଇପଡିଛି । ପ୍ରକାଶନର ମାଧ୍ୟମ ଯାହାହେଉନା କାହିଁକି, କାହାକୁ ଆମେ ଅଣଦେଖା କରିବା ଅନୁଚିତ । ବିଶେଷ କରି ବୟସ୍କ ମାନେ ଏହି ଦିଗରେ ନିଜ ପ୍ରଭାବୀ ମନୋଭାବକୁ ଟିକେ ସରଳ କରିବା ନିତାନ୍ତ ଆବଶ୍ୟକ, ଯେଉଁମାନେ ଡିଜିଟାଲ ପଦ୍ଧତ୍ତିରେ ସାହିତ୍ୟର ପ୍ରକାଶନକୁ ଘୋର ବିରୋଧ କରନ୍ତି । ଲେଖିବା ପଢିବା କ୍ଷେତ୍ରରେ ଡିଜିଟାଲ ପଦ୍ଧତ୍ତିରେ ଅଧିକ ନିୟୋଜିତ ରହୁଥିବା ଯୁବବର୍ଗ ମଧ୍ୟ ମୁଦ୍ରିତ ମାଧ୍ୟମକୁ ଅଣଦେଖା କରିବା ଅନୁଚିତ । ଉଭୟ କ୍ଷେତ୍ରରେ ସମନ୍ଵୟ ସୃଷ୍ଟି ନିମନ୍ତେ ସ୍ନେହ ଶ୍ରଦ୍ଧା ଓ ଆନ୍ତରିକତାର ଯଦି ଅଭାବ ଏହିଭଳି ବଢି ବଢି ଚାଲିବ, ତେବେ ନିଶ୍ଚିତ ଭାବରେ କିଛି ବର୍ଷ ପରେ ଲେଖିବା ପଢିବା କ୍ଷେତ୍ରରେ ଏମିତି ଏକ ସୁନାମି ମାଡିଆସିବ, ହୁଏତ ପୂର୍ବ ପ୍ରଚଳିତ ପଦ୍ଧତ୍ତି ନିଜର ସତ୍ତା ହରାଇ ବସିବ । ଆଉ ସେଥିପାଇଁ ବୟସ୍କ ମାନେ ହିଁ ଅଧିକ ଭାଗରେ ଦାୟୀ ରହିବେ ।
© ଲକ୍ଷ୍ମୀନାରାୟଣ