ଓଡିଆ କାବ୍ୟ ସାହିତ୍ୟର ଅନନ୍ୟ ସ୍ରଷ୍ଟା

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଥିଲେ ଓଡିଆ କାବ୍ୟ ସାହିତ୍ୟ ଜଗତର ଜଣେ ଅନନ୍ୟ ସ୍ରଷ୍ଟା । ଗଞ୍ଜାମ ଜିଲ୍ଲା ଅଧିନସ୍ଥ ଘୁମୁସର (ବର୍ତ୍ତମାନର ଭଞ୍ଜନଗର) ନିକଟବର୍ତ୍ତୀ କୁଲାଡ ଗ୍ରାମରେ ୧୬୭୦ ମସିହାରେ ଗୋଟିଏ ରାଜ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସେ ସମୟର ପ୍ରତିଷ୍ଠିତ କବି ରାଜା ଧନଞ୍ଜୟ ଭଞ୍ଜ (ରଘୁନାଥ ବିଳାସ କାବ୍ୟର ରଚୟିତା) ଥିଲେ ଉପେନ୍ଦ୍ର ଭଞ୍ଜଙ୍କ ଜେଜେବାପା । ଜେଜେବାପାଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ନିଜର ଅସାଧାରଣ ସାରସ୍ଵତ ପରିଚୟ ସୃଷ୍ଟି କରିବା ସହିତ "କବି ସମ୍ରାଟ" ଉପାଧିରେ ଭୂଷିତ ହୋଇଥିଲେ । ଉପେନ୍ଦ୍ର ଭଞ୍ଜ ଦୁଇଗୋଟି ପତ୍ନୀ ଗ୍ରହଣ କରିଥିଲେ । ତତକାଳୀନ ନୟାଗଡ ରାଜାଙ୍କ ଭଉଣୀ ଥିଲେ ତାଙ୍କର ପ୍ରଥମ ପତ୍ନୀ । ଏବଂ ବାଣପୁରର ରାଜକନ୍ୟାଙ୍କୁ ଦ୍ଵିତୀୟ ପତ୍ନୀ ରୂପେ ଗ୍ରହଣ କରିଥିଲେ ।

ଓଡିଆ ଭାଷା ବ୍ୟତୀତ ଶାସ୍ତ୍ରୀୟ ଭାଷା ସଂସ୍କୃତରେ ମଧ୍ୟ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା । ତାଙ୍କ ସାରସ୍ଵତ କୃତି ଗୁଡିକ ମଧ୍ୟରୁ "ବୈଦେହିଶ ବିଳାସ" ଓ "ଲାବଣ୍ୟବତୀ" କାବ୍ୟ ଅନ୍ୟତମ । ଏହା ବ୍ୟତୀତ ତାଙ୍କ ରଚିତ "ପ୍ରେମ ସୁଧାନିଧି", "ରସିକ ହାରାବଳୀ", "କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ", "କଳା କୌତୁକ", "ସୁଭଦ୍ରା ପରିଣୟ", "ପଦ୍ମାବତୀ ପରିଣୟ", "ରାସଲୀଳା", "ବ୍ରଜଲୀଳା", "ଦମୟନ୍ତୀ ବିଳାସ" ଓ "ସତୀସା ବିଳାସ" ଆଦି ଓଡିଆ କାବ୍ୟ ସାହିତ୍ୟ ଜଗତକୁ ସମୃଦ୍ଧ କରିବାରେ ସ୍ଵତନ୍ତ୍ର ସ୍ଥାନ ମଣ୍ଡନ କରିପାରି ଥିଲା । ତାଙ୍କ ପ୍ରଥମ ପ୍ରକାଶିତ ପୁସ୍ତକର ନାମ ଥିଲା "ରସ ପଞ୍ଚକ" । ଓଡିଆ ଭାଷାର ପ୍ରଥମ ଶବ୍ଦକୋଷ "ଗୀତ ଅଭିଧାନ" ର ରଚୟିତା ଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ।

ଭଞ୍ଜ ସାହିତ୍ୟର ମୁଖ୍ୟ ଆକର୍ଷଣ ଥିଲା ରାଗ, ରସ ଓ ଛନ୍ଦ । ତାଙ୍କର ସମସ୍ତ କାବ୍ୟକୃତି ଗୁଡିକ ରୀତିଛନ୍ଦ ଶୈଳୀରେ ରଚିତ ହେବା ସହ ଶୃଙ୍ଗାର, ବିରହ, ଭକ୍ତି ଓ କରୁଣ ରସରେ ପରିପୂର୍ଣ୍ଣ ଥିଲା । ଅନୁପ୍ରାସ ଓ ଜମକ ଆଦି ଅଳଙ୍କାର ଓ ଉପମା ଗୁଡିକର ବ୍ୟବହାର ଉପେନ୍ଦ୍ର ଭଞ୍ଜଙ୍କ ପ୍ରତ୍ୟେକ କୃତି ଗୁଡିକର ବିଶେଷତ୍ଵ ଥିଲା । ଅଳଙ୍କାର ଶାସ୍ତ୍ର ଆଧାରରେ ତାଙ୍କର ସମସ୍ତ କାବ୍ୟକୃତି ଗୁଡିକ ରଚିତ ବୋଲି ଗବେଷକ ମାନେ ମତବ୍ୟକ୍ତ କରନ୍ତି ।
© ଲକ୍ଷ୍ମୀନାରାୟଣ